ଭଗବାନ ଶିବଙ୍କୁ ୮ ଗୋଟି ନାମ କିଏ ଦେଇଥିଲେ?


 ଭଗବାନ ଶିବଙ୍କ ଜନ୍ମ ହୋଇନଥିଲା ଏବଂ ସେ ସ୍ବୟମ୍ଭୁ ଥିଲେ ବୋଲି ସମସ୍ତେ ଜାଣନ୍ତି ।  କିନ୍ତୁ ପୁରାଣରେ ତାଙ୍କର ଉତ୍ପତ୍ତିର ବିବରଣୀ ମିଳୁଛି । ବିଷ୍ଣୁ ପୁରାଣ ଅନୁସାରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନାଭିକମଳରୁ ଉତ୍ପତ୍ତି ହୋଇଥିଲେ । ସେହିପରି ଶିବ ଭଗବାନ ବିଷ୍ଣୁଙ୍କ ମଥାର ଚମକରୁ ସୃଷ୍ଟି ହୋଇଥିଲେ । ବିଷ୍ଣୁ ପୁରାଣ ଅନୁସାରେ ମଥାର ଚମକରୁ ଉତ୍ପନ୍ନ ହୋଇଥିବା କାରଣରୁ ଶିବ ସର୍ବଦା ଯୋଗମୁଦ୍ରାରେ ରହୁଥିଲେ । ଶ୍ରୀମଦ୍ ଭାଗବତ ଅନୁସାରେ ଥରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ଅହଂକାରରେ ଅଭିଭୂତ ହୋଇ ନିଜକୁ ଶ୍ରେଷ୍ଠ କହି ଲଢୁଥିଲେ । ସେହି ସମୟରେ ଏକ ଜଳୁଥିବା ଖମ୍ବରୁ ଭଗବାନ ଶିବ ପ୍ରକଟ ହୋଇଥିଲେ । 

    କିନ୍ତୁ ପୁରାଣରେ ବର୍ଣ୍ଣିତ ଶିବଙ୍କ ଜନ୍ମ କାହାଣୀ କେବଳ ଭଗବାନ ଶିବଙ୍କ ବାଳରୂପକୁ ବର୍ଣ୍ଣନା କରାଯାଇଛି । ଏଥିରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମାଙ୍କୁ ଏକ ଶିଶୁର ଆବଶ୍ୟକତା ଥିଲା ଏବଂ ଏଥିପାଇଁ ତପସ୍ଯା କରିଥିଲେ । ସେହି ସମୟରେ ହଠାତ ତାଙ୍କ କୋଳରେ ଶିବ ପ୍ରକଟ ହୋଇ ଶିଶୁ ରୂପରେ କାନ୍ଦିବାକୁ ଲାଗିଲେ । ବ୍ରହ୍ମା ଏହି ଶିଶୁକୁ କାନ୍ଦିବାର କାରଣ ପଚାରିବାରୁ ସେ ଅତି ନୀରିହ ଭାବେ ଜବାବ ଦେଇଥିଲେ ତାଙ୍କର କୌଣସି ନାମ ନାହିଁ ଏଥିପାଇଁ କାନ୍ଦୁଛି । ସେହି ସମୟରେ ଭଗବାନ ବ୍ରହ୍ମା ଶିବଙ୍କ ନାମ ରୁଦ୍ର ରଖିଥିଲେ । ଯାହାର ଅର୍ଥ ହେଉଛି କ୍ରନ୍ଦନରତ। ଏହାପରେ ଶିବ ମଧ୍ଯ କାନ୍ଦ ବନ୍ଦ କରିନଥିଲେ । ଏଥିପାଇଁ ବ୍ରହ୍ମା ତାଙ୍କର ଦ୍ବିତୀୟ ନାମ ରଖିଥିଲେ କିନ୍ତୁ ତଥାପି ମଧ୍ଯ ଶିବଙ୍କୁ ନାମ ପସନ୍ଦ ହୋଇନଥିଲା ଏବଂ ସେ ଚୁପ ହୋଇନଥିଲେ । ଏହିପରି ଭାବେ ଶିବଙ୍କୁ ଚୁପ କରିବା ପାଇଁ ବ୍ରହ୍ମା ୮ଟି ନାମ ଦେଇଥିଲେ । ଏହି ୮ଟି ନାମ ହେଉଛି ରୁଦ୍ର,ଶର୍ବ,ଭାବ,ଉଗ୍ର,ଭୀମ,ପଶୁପତି,ଇଶାନ ଓ ମହାଦେବ। ଶିବ ପୁରାଣ ଅନୁସାରେ ଏହି ନାମ ପୃଥ୍ବୀ ଉପରେ ଲେଖା ଯାଇଥିଲା । 

     ଶିବଙ୍କୁ ଏହିପରି ଭାବେ ଜନ୍ମନେବା ପଛରେ ମଧ୍ଯ ବିଷ୍ଣୁ ପୁରାଣରେ ରହିଛି ଏକ ପୌରାଣିକ କଥା । ପୁରାଣ ଅନୁସାରେ ଯେତେବେଳେ ଧରିତ୍ରୀ,ଆକାଶ ଓ ପାତାଳ ସହ ପୂରା ବ୍ରହ୍ମାଣ୍ଡ ଜଳମଗ୍ନ ଥିଲା ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର(ଶିବ)ଙ୍କ ବ୍ଯତିତ ଅନ୍ଯ କୌଣସି ପ୍ରାଣୀ ନଥିଲେ । ସେତେବେଳେ କେବଳ ବିଷ୍ଣୁ ଜଳସ୍ତରରେ ଶେଷନାଗ ଉପରେ ଶୋଇଥିବା ନଜର ଆସିଥିଲେ । ତାଙ୍କ ନାଭି କମଳରୁ ବ୍ରହ୍ମା ସୃଷ୍ଟି ହୋଇଥିଲେ । ବ୍ରହ୍ମା-ବିଷ୍ଣୁ ବ୍ରହ୍ମାଣ୍ଡ ସୃଷ୍ଟି ବିଷୟରେ ଆଲୋଚନା କରୁଥିବା ସମୟରେ ଶିବ ପ୍ରକଟ ହୋଇଥିଲେ । ହେଲେ ବ୍ରହ୍ମା ତାଙ୍କୁ ଚିହ୍ନିପାରିନଥିଲେ । ଶିବ କ୍ରୋଧିତ ହେବା ଭୟରେ ଭଗବାନ ବିଷ୍ଣୁ ଦିବ୍ଯଦୃଷ୍ଟି ପ୍ରଦାନ କରି ବ୍ରହ୍ମାଙ୍କୁ ସ୍ମରଣ କରାଇଥିଲେ । ଏହାପରେ ବ୍ରହ୍ମାଙ୍କୁ ନିଜର ଭୁଲ ଅନୁଭୂତି ହୋଇଥିଲା ଏବଂ ଶିବଙ୍କ ଠାରୁ କ୍ଷମା ମାଗି ତାଙ୍କୁ ପୁତ୍ର ରୂପେ ପାଇବାପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ । ଭଗବାନ ଶିବ ବ୍ରହ୍ମାଙ୍କ ପ୍ରାର୍ଥନା ସ୍ବୀକାର କରିଥିଲେ । ବ୍ରହ୍ମା ଯେତେବେଳେ ସୃଷ୍ଟିର ରଚନା ଆରମ୍ଭ କରିଥିଲେ ତାଙ୍କୁ ଏକ ଶିଶୁର ଆବଶ୍ୟକତା ପଡିଥିଲା ଏବଂ ଭଗବାନ ଶିବଙ୍କ ଆର୍ଶୀବାଦ ଧ୍ଯାନରେ ଆସିଥିଲା । ଶେଷରେ ବ୍ରହ୍ମା ତପସ୍ଯା କରି ଶିବଙ୍କୁ ଶିଶୁ ରୂପରେ ନିଜ କୋଳରେ ପାଇଥିଲେ ।